ଗୁଡ଼ି କେତେ ରଙ୍ଗର ...
ନିଜ ରଙ୍ଗର ମହତ୍ତ୍ୱରେ ସେ ବଞ୍ଚେନି
ବଞ୍ଚେ ତ କେବଳ ଉଡ଼ିବା ପାଇଁ |
କାଗଜ ଓ ବାଉଁଶକାଠିରେ ଗଢ଼ା
ତା’ର କଙ୍କାଳ
ହେଲେ ...
ସୁତାଖିଅ ଓ ପବନର ସମାବେଶେ
ଉଡ଼େ ଯେତେବେଳେ
ଭରିଯାଏ ତା’ ଦେହରେ ରକ୍ତ ମାଂସ
ପାଏ ସେ ନୂତନ ରୂପ
ଉଡ଼ିବା ପାଇଁ ଫର୍ଫର୍ ହୋଇ |
ଏମିତି ବା ଉଡ଼ିବାରେ କି ମଜା !
ଡେଣାହୀନ ପକ୍ଷୀ ହୋଇ ଉଡ଼ିଯାଏ
ହେଲେ ସେ ବନ୍ଧା |
ମନମୁତାବକ ଉଡ଼ିପାରେ ନା
ଚାହେଁ ତ ନିଜ ପ୍ରିୟା,
ନିଜ ରଙ୍ଗକୁ ମିଳେଇବାକୁ,
ହେଲେ ସେ ରଙ୍ଗର ସତ୍ତା କଣ ତାକୁ ମିଳିପାରେ?
ନିଜ ଜୀବନ ସହ ଲଢ଼େ ତା’ ପାଇବାକୁ |
ତା’ର ବି ତ ହୃଦୟ ଅଛି
ନିଜ ପ୍ରିୟା ପାଖକୁ ଯିବାକୁ |
କରେ ସେ କେତେ ସଉକ
ଉଡ଼ିଉଡ଼ି ଧାଇଁଯାଏ
କ’ଣ ଯେ ସେ କଥା କହିବ
କେତେ ଆବେଗ
କେତେ ତନ୍ମୟତା !
ଯେତେ ଉଠେ ଉଚ୍ଚତର
ମନ ହୁଏ ସେତେ ବିକଳ
ସତେ ଯେପରି ଚିତ୍କାର କରେ
“ମୋତେ ଏ ବନ୍ଧନରୁ ମୁକ୍ତି ଦିଅ”
ଏ ବା କି ମୁକ୍ତି
ଯେ ନିଜ ଇଚ୍ଛା ରୂପେ ନ ଯାଇପାରେ |
ତା’କୁ ସମର୍ଥନ ଜଣାଏ
ନିଜ ପ୍ରିୟ ସଖା ସମୀର
କିନ୍ତୁ ବନ୍ଧନର ସୀମା ଲଙ୍ଘିବାକୁ ନାହିଁ ସାହସ |
ପୁଣି ସେ ଉଦାସ ମନରେ
ହୁଏ ଅବତୀର୍ଣ୍ଣ
ତା’ର ପଞ୍ଜରା ରୂପକୁ |
ସେଥିରେ ଆଉ ନାହିଁ ମାଦକତା
ନାହିଁ ଚଞ୍ଚଳତା
ହଜାଇ ଦିଏ ସବୁକିଛି
ପୁଣି ବାଟ ଚାହେଁ ଉଡ଼ିବା ପାଇଁ
ତା’ ପ୍ରିୟା ପାଇଁ |
ଏ ଗୁଡ଼ି ସଂସାର-ରୂପୀ ସୂତାରେ ବନ୍ଧା
ଚାହେଁ ସବୁ ବନ୍ଧନ ଛିଣ୍ଡାଇ ନିଜ ପ୍ରିୟା ଦର୍ଶନ |
କିନ୍ତୁ ସଂସାର-ସୂତା କରିବାକୁ ଦିଏ ନା ତାହା
ହୁଏ ସେ ଉତ୍ତେଜିତ
ଛିଣ୍ଡାଏ ମଧ୍ୟ ସୂତା
କିନ୍ତୁ ଖସିପଡ଼େ ପୁଣି ସେ ସଂସାରକୁ |
ଅନ୍ୟ କିଏ ତାକୁ ସାଉଁଟି ନିଏ
ପୁଣି ଥରେ ନବୀନ ରଙ୍ଗ, ଢଙ୍ଗରେ ସଜାଏ ତା’କୁ
ଆଉ ଛାଡ଼ିଦିଏ ପ୍ରିୟା ସନ୍ଧାନେ
ହେଲେ ବନ୍ଧା ସୂତା ହାତରେ ଧରି |
-
୩୧-୦୮-୨୦୦୨
(ପୁରୁଣା କବିତାରୁ ଉଦ୍ଧୃତ)