ଅମୃତର ସନ୍ଧାନରେ
ଯାଏ ମୁଁ ମନର ଆବେଗରେ
ସେହି କର୍ତ୍ତାର ସନ୍ଧାନରେ
ଅମୃତର ସନ୍ଧାନରେ ... |
ଉଦ୍ବେଗ ହୃଦୟ ବା ଚାହେଁ
କାହିଁକି ଅନ୍ତର ପିପାସା
ସ୍ୱପ୍ନରେ ଦେଖାଦିଏ ସିଏ
ଅନନ୍ତ ଭାବନାର ଜୀବନ୍ତ ପ୍ରତିମୂର୍ତ୍ତି |
ଆତ୍ମୀୟଜନରେ ଖୋଜେ ତାକୁ
କାଳେ କୋଉ ସାଥୀ ରୂପେ ପାଇବି ଦେଖିବାକୁ |
ହେଲେ ଅବୁଝା ମନକୁ ଦେବି ଶାନ୍ତି କେମିତି?
ଅହରହ ଲାଳସାରେ ଘାରିହୁଏ ମୁହିଁ
କୃପାର ପାରାବାର ମୋ ହାତକୁ ବା ଲାଗିବ କେବେ
ପାଇବି ମୋ ପ୍ରାଣପ୍ରିୟ |
ସମୟର ସାହା-ଭରସାରେ ହିଁ
ଆଶାର ଏକ ରୂପରେଖାରେ ହିଁ
ଖୋଜେ ମୁଁ ତାକୁ |
ଦୂର ଦିଗ୍ବଳୟର ଏକ ଅସ୍ଫୁଟ ଚାହାଁଣି
କରେ ମୋତେ ଘାତ |
ନିର୍ବାକ୍ ଆକାଶ ବା କରିବ କ’ଣ
କେବଳ ସାନ୍ତ୍ୱନା ହିଁ ଦିଏ
ତା’ର ସାଥୀ ହୋଇ ମଧ୍ୟ ନ ଥିଲା ପରି
କେଉଁ ଦୋଷରୁ ସିଏ ଏମିତି ବନ୍ଧା
କାହାର ସିଏ ହୋଇପାରେ ନା
ପାଖରେ ଥାଇ ମଧ୍ୟ
ନୁହେଁ ସେ ଧରା-ଗଗନର |
ଏମିତି ଭାବନା ଭରା ପ୍ରାଣରେ
ଖୋଜେ ମୁଁ ଅମୃତକୁ |
ସନ୍ଧେହରେ ଧାଏଁ
ସେ ହତାଶିଆ ଦିଗ୍ବଳୟ ଆଡ଼କୁ |
ଭାବି ଭାବି
ସିଏ ତ ନୁହେଁ ସେ କର୍ତ୍ତା
ସେ ଅନନ୍ତ ଭାବନାର ମୂର୍ତ୍ତି
ତାକୁ ଧରିବାକୁ ଗଲେ ମଧ୍ୟ ଧରାଦିଏ ନାହିଁ
କିନ୍ତୁ ଦେଖାଦିଏ ଯେ
ସବୁ ହିଁ ବିଲୀନ ହୁଏ ତା’ଠାରେ |
ଏକ ଆବେଗର ଧ୍ୱନିରେ
ନିଜେ ପାଏ ମୁଁ ସ୍ୱପିପାସାର ଶାନ୍ତି ଏଠି |
ଦିଗ୍ବଳୟ ଭଳି
ମିଶିଯିବାକୁ ସବୁଥିରେ
ସବୁଠି ଥାଇ ମଧ୍ୟ ନ ଥିଲା ପରି |
-
୨୦-୦୭-୨୦୦୧
(ପୁରୁଣା କବିତାରୁ ଉଦ୍ଧୃତ)
No comments:
Post a Comment